Colomerus vitis
ମାଇଟ
ମାଇଟର ପ୍ରକାର, ଅଙ୍ଗୁର କିସମ ଏବଂ ପାରିପାର୍ଶ୍ଵିକ ପରିସ୍ଥିତି ଅନୁସାରେ ଲକ୍ଷଣ ହୋଇଥାଏ। ବିଳମ୍ବ ବସନ୍ତରେ ସବୁଠାରୁ ସାଧାରଣ ଲକ୍ଷଣ ଦେଖାଯାଏ, ଯେତେବେଳେ ନୂଆ ପତ୍ରରେ ଉପର ପୃଷ୍ଠର କିଛି ଅଂଶ ଉପର ଆଡକୁ ଫୁଲି ଫୋଟକା ଭଳି ହୋଇଥାଏ। ଧଳା ରୁ ଗୋଲାପି ଲାଲ ବର୍ଣ୍ଣର ଛୋଟ ସୂକ୍ଷ୍ମ ଲୋମ ସ୍ତର ଏହି ବହଳିଆ ସ୍ଥାନ ତଳେ ଥିବା ଫମ୍ପା ଜାଗାରେ ଦେଖାଯାଇ ପାରେ। ଛୋଟ ଏବଂ ଅର୍ଦ୍ଧ ସ୍ଵଚ୍ଛ ମାଇଟ କିମ୍ବା ଅଷ୍ଟପଦୀ ଏହି ଘଞ୍ଚ ଲୋମ ଦ୍ଵାରା ସୁରକ୍ଷିତ ରହିଥାଏ। ପରେ, ଫୁଲା ଓ ଲୋମ, ଯାହାକି ତାହାକୁ ଭିତରେ ଆବରଣ କରି ରଖିଥାଏ, ଶୁଖିଯାଏ ଏବଂ ମାଟିଆ ବର୍ଣ୍ଣରେ ପରିଣତ ହୋଇଥାଏ। କିଛି ଦେଶରେ, ଏହି ମାଇଟ ଏକ ଭିନ୍ନ ପ୍ରକାରର କ୍ଷତି, ଉଦାହରଣ ସ୍ୱରୂପ ମୂଳ ପତ୍ରର ଓ କଢର ବିକୃତି ଏବଂ ପତ୍ର କୁଞ୍ଚନ କରିଥାଏ।
ଗାଲେଣ୍ଡରମସ ଅକ୍ସିଡେଣ୍ଟାଲିସ ପରଭକ୍ଷୀ ମାଇଟ ଫୋଟକା ମାଇଟକୁ ଖାଇଥାଏ ଏବଂ ଏହାର ସଂଖ୍ୟା ହ୍ରାସ କରାଇବାରେ ଫଳପ୍ରଦ ଅଟେ। କୀଟନାଶକଯୁକ୍ତ ସାବୁନ କିମ୍ବା ନିମ୍ବ ତେଲ ମଧ୍ୟ ବ୍ୟବହାର କରାଯାଇ ପାରେ, କିନ୍ତୁ ଏହା ଉପକାରୀ କୀଟର ସଂଖ୍ୟା ମଧ୍ୟ ହ୍ରାସ କରାଇ ପାରେ। ଅଧିକନ୍ତୁ, ଆର୍ଦ୍ରଯୋଗ୍ୟ ସଲଫର ଉପଚାର ମଧ୍ୟ ସହାୟକ ହୋଇପାରେ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ।ଫୋଟକା ମାଇଟ ପାଇଁ ସ୍ପିରୋଟେଟ୍ରାମାଟ ସଫଳତାର ସହିତ ବ୍ୟବହାର କରା ଯାଇଛି। ସୁନିଶ୍ଚିତ କରନ୍ତୁ ଯେ ଏହି ପଦାର୍ଥ ଶୋଷଣ କରିବା ପାଇଁ ଯଥେଷ୍ଟ ପତ୍ର ଅଛି ଏବଂ ଦୁଇଟି ପ୍ରୟୋଗ ମଧ୍ୟରେ 30 ଦିନ ବ୍ୟବଧାନ ରଖନ୍ତୁ। ଆର୍ଦ୍ରଯୋଗ୍ୟ ସଲଫର ମଧ୍ୟ ବ୍ୟବହାର କରାଯାଇ ପାରିବ।
କୋଲୋମେରସ ଭିତିସ ଦ୍ଵାରା ପତ୍ରରେ ଏହି ଫୋଟକା ଭଳି ବାହ୍ୟ ବୃଦ୍ଧି ହୋଇଥାଏ। ଏକ ସ୍ପଷ୍ଟ ଲକ୍ଷଣ ସତ୍ତ୍ୱେ ଏହାକୁ ଅଙ୍ଗୁରର ଏକ ଗୁରୁତ୍ୱପୂର୍ଣ୍ଣ ଅନିଷ୍ଟକାରୀ କୀଟ ଭାବେ ବିବେଚନା କରାଯାଏ ନାହିଁ। ରସ ଶୋଷୁ ଥିବା ଛୋଟ ମାଇଟ ମୁଖ୍ୟତଃ ଅଙ୍ଗୁର ଲତାକୁ ପ୍ରଭାବିତ କରିଥାଏ। ପତ୍ରର ବାହ୍ୟ ସ୍ତର ଖାଇବା ବେଳେ ସେମାନେ ହରମୋନ ଭଳି ପଦାର୍ଥ କୋଷ ମଧ୍ୟରେ ପ୍ରବେଶ କରାଇ ଥାଆନ୍ତି, ଯାହା ତାହାର ବୃଦ୍ଧିରେ ପରିବର୍ତ୍ତନ ଘଟାଇ ଫୁଲା ସୃଷ୍ଟି କରାଇ ଥାଏ। କଢ କାଟି ତଳେ ଲୁଚି ରହି ଫୋଟକା ମାଇଟ ଅଙ୍ଗୁର ଗଛରେ ଶୀତସୁପ୍ତି କରିଥାଏ। ସେମାନେ ବସନ୍ତରେ ସକ୍ରିୟ ହୋଇଥାନ୍ତି, ଯେତେବେଳେ ସେମାନେ ନୂଆ ପତ୍ରର ତଳପଟକୁ ଯାଇ ଖାଇବାକୁ ଆରମ୍ଭ କରିଥାନ୍ତି। ଗ୍ରୀଷ୍ମ ଶେଷରେ, ସେମାନେ ପତ୍ର ଛାଡନ୍ତି ଓ ଶୀତସୁପ୍ତି ପାଇଁ ଆଶ୍ରୟ ଖୋଜିଥାନ୍ତି। ପତ୍ରର ତଳପଟେ ଥିବା ଅବରଣକୁ ଭ୍ରମରେ ମିଲଡିଉ ଭଳି କବକ ରୋଗ ଭାବେ ଚିହ୍ନିତ କରିବା ଉଚିତ ନୁହେଁ। ଉଷ୍ଣ ଆର୍ଦ୍ର ପାଣିପାଗରେ, ପତ୍ରର ଦ୍ରୁତ ବୃଦ୍ଧି ସମୟରେ ଲକ୍ଷଣ ଅଧିକ ସାଂଘାତିକ ହୋଇଥାଏ, କିନ୍ତୁ ମାଇଟ ଫଳ ଅମଳରେ କୌଣସି ପ୍ରଭାବ ପକାଏ ନାହିଁ।